ଭିନ୍ନକ୍ଷମଙ୍କ ମୃତ୍ୟୁକୁ ନେଇ ତିହିଡ଼ିରେ ଚାପା ଉତ୍ତେଜନା, ପୁଲିସ ଗାଡ଼ି ପୋଡ଼ିଦେଲେ ଉତ୍ତ୍ୟକ୍ତ ଲୋକେ

ଭଦ୍ରକ(YSN) : ଭିନ୍ନକ୍ଷମଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ । ଏହି ଘଟଣାରେ ଉତ୍ତ୍ୟକ୍ତ ଲୋକେ ପୁଲିସକୁ ମାଡ଼ ମାରିବା ସହ ପୋଲିସ ଗାଡି ଜାଳି ଦେଇଥିବା ଅଭିଯୋଗ ହୋଇଛି।ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ତିହିଡ଼ି ଥାନା ଅଲ୍ଲୀନଗର ଛକରେ।ସୂଚନା ଅନୁଯାୟୀ ତିହିଡ଼ି ଥାନା ହାତୁଆରି ଗାଁର ବାପି ମହାଳିକ ଜଣେ ଭିନ୍ନକ୍ଷମ ଯୁବକ। ସେ କଥା ହୋଇପାରନ୍ତି ନାହିଁ। ଆଜି ସେ ତାଙ୍କ ଭଉଣୀ ଘରକୁ ଯାଉଥିବା ବେଳେ ପୋଲିସ କୌଣସି କାରଣରୁ ତାଙ୍କୁ ଗୋଡ଼ାଇଥିଲା । ମୂକ ବାପି ଦୌଡ଼ିବା ବେଳେ ପୋଖରୀ ଭିତରେ ପଡ଼ି ଯାଇଥିଲେ ।ପୁଲିସ ତାଙ୍କୁ ପୋଖରୀରୁ ଉଦ୍ଧାର କରିବା ପରିବର୍ତ୍ତେ ପଳାଇ ଯାଇଥିଲା।ପରେ ବାପିଙ୍କୁ ପୋଖରୀରୁ ଉଦ୍ଧାର କରାଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା ।ଏଥିରେ ଉତକ୍ଷିପ୍ତ ସ୍ଥାନୀୟ ଲୋକ ମୃତ ଶରୀରକୁ ଧରି ଭଦ୍ରକ-ଚାନ୍ଦବାଲି ରାସ୍ତାକୁ ଅଲ୍ଲୀନଗର ଠାରେ ଅବରୋଧ କରିଛନ୍ତି । ସେଠାରେ ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାଇବା ପରିବର୍ତ୍ତେ ଲୋକଙ୍କୁ ମାଡ଼ ମାରିଥିଲା।ଯାହା ଦ୍ଵାରା ଲୋକମାନେ ଉତ୍ତ୍ୟକ୍ତ ହୋଇ ପୋଲିସକୁ ମାଡ ମାରିବା ସହ ପୋଲିସ ଗାଡି ମଧ୍ୟ ଜାଳି ଦେଇଥିଲେ। ଏହା ସହ ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉତ୍ତ୍ୟକ୍ତ ଲୋକେ ଦାବି କରିଛନ୍ତି।