ଲଘୁଚାପ ଜନିତ ବର୍ଷା ଆଣିଲା ଚାଷୀଙ୍କ ମୁହଁରେ ହସ

କଟକ (YSN) ୦୫/୦୮: ଅନିୟମିତତା ପାଣିପାଗ ଯୋଗୁଁ ବିଭିନ୍ନ ଅଞ୍ଚଳର ଚାଷଜମି ଫାଟି ଆଁ କରିଥିଲା। ଏହା ସହିତ କରୋନା ଆଳରେ ଜଳସେଚନ ବିଭାଗ ପକ୍ଷରୁ ବାହାର ଠିକାଦାରଙ୍କ ଦ୍ଵାରା ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି କେନାଲ ସଫେଇ କରାଯାଇଥିଲା। ମାତ୍ର ଅଧିକାଂଶ କେନାଲରେ ଆବଶ୍ୟକ ଅନୁସାରେ ପାଣି ଆସୁ ନଥିବାରୁ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଥିଲେ। ଏପରିକି, ପାଣି ମଡ଼ାଇବାକୁ କେନ୍ଦ୍ରକରି ପ୍ରତ୍ୟେହ ଚାଷୀଙ୍କ ମଧ୍ୟରେ ଗଣ୍ଡଗୋଳ ମଧ୍ୟ ଦେଖିବାକୁ ମିଳୁଥିଲା। ସେହିପରି ପ୍ରବଳ ଖରା ଓ ଗୁଳୁଗୁଳି ସାଙ୍ଗକୁ ବିଲରେ ପାଣି ଗରମ ହୋଇଯାଉଥିବାରୁ ଦିନ ୧୦ଟାରେ କାମ କରିବା ସମ୍ଭବପର ହୋଇପାରୁ ନଥିଲା। ତେବେ ଗତକାଲିଠାରୁ ଲଘୁଚାପଜନିତ ବର୍ଷା ଆରମ୍ଭ ହୋଇଯାଇଥିବାରୁ ଚାଷୀମାନେ ଆଶ୍ବସ୍ତ ହୋଇଛନ୍ତି। ଆଜି ସମଗ୍ର ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ଚାଷକାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ତେବେ ବିଳମ୍ବରେ ଚାଷକାର୍ଯ୍ୟ ଆରମ୍ଭ ହୋଇଥିବାରୁ ଚଳିତବର୍ଷ ଉତ୍ପାଦନ କମିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ବହୁ ଚାଷୀ ମତବ୍ୟକ୍ତ କରିଛନ୍ତି। ଅନ୍ୟପଟେ, ଚାଷକାର୍ଯ୍ୟରେ ବିଳମ୍ବ ଯୋଗୁଁ କେତେକ ଚାଷୀ ଜମିରେ ଅଧିକ ରାସାୟନିକ ସାର ପ୍ରୟୋଗ କରି ଉତ୍ପାଦନ ବଢ଼ାଇବାକୁ ଉଦ୍ୟମ କରୁଛନ୍ତି। ମାତ୍ର ରାସାୟନିକ ସାରର ଅହେତୁକ ମୂଲ୍ୟବୃଦ୍ଧି ଘଟିଥିବା ଏବଂ ବଜାରରେ ଆବଶ୍ୟକ ପରିମାଣର ସାର ମିଳୁ ନ ଥିବା ଚାଷୀମାନେ ସୂଚନା ଦେଇଛନ୍ତି। ସେହିପରି ଚାଷୀମାନଙ୍କୁ କୃଷି ସଂପର୍କିତ ପରାମର୍ଶ ଏବଂ ସାର ବଜାର ନିୟଶ୍ଚିତ କରିବା ପାଇଁ ବ୍ଲକ୍ କୃଷି ବିଭାଗ ଅଧିକାରୀ,କୃଷି କର୍ମଚାରୀ ଓ ଗାଁରେ କୃଷକ ସାଥୀମାନେ ରହିଛନ୍ତି।ମାତ୍ର କରୋନା ଆଳରେ କର୍ମଚାରୀମାନେ ଅଫିସ୍ ଆସୁ ନାହାନ୍ତି କି ଫୋନ୍ ଉଠାଉ ନାହାନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ।କୃଷି ବିଭାଗ ନିର୍ଦ୍ଦେଶକ ଓ କଟକ ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରି ଆବଶ୍ୟକ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି।

 

ରିପୋର୍ଟ: ଭାରତ ଭୂଷଣଙ୍କ ସହିତ ଇତିଶ୍ରୀ ସାହୁ, କଟକ ସିଟି

Leave a Reply

Your email address will not be published. Required fields are marked *

%d bloggers like this: