ନିଖୋଜ ହେବାର ଛଅ ଦିନପରେ ମିଳିଲା କୁମ୍ଭୀର ପେଟରୁ ବାଳକର ହାଡ଼ କଙ୍କାଳ

ଯୁବଶକ୍ତି ନ୍ୟୁଜ୍(ବ୍ୟୁରୋ)୦୫/୦୮: ନିଖୋଜ ହେବାର ୬ ଦିନ ପରେ ଜଣେ ୧୪ ବର୍ଷୀୟ ବାଳକର ହାଡ଼ କଙ୍କାଳ ଗୋଟିଏ ବିଶାଳକାୟ କୁମ୍ଭୀର ପେଟରୁ ଠାବ ହୋଇଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ। ସେ ପୁଣି ଦିନେ କି ଦୁଇ ଦିନ ନୁହେଁ ପୁରା ଛଅ ଦିନ ପରେ ଠାବ ହେଲା କଙ୍କାଳ। ୬ ଦିନ ତଳେ ମ୍ୟାଲେସିଆର କୁବିଂ ଅଞ୍ଚଳରେ ଥିବା ନଦୀ କୂଳରେ ବାଳକଟି ଶାମୁକା ସଂଗ୍ରହ କରିବାକୁ ଯାଇଥିବା ବେଳେ ତାକୁ କୁମ୍ଭୀରଟି ଗିଳି ଦେଇଥିଲା। ହେଲେ ଏକଥା ତାଙ୍କ ମାଉସୀ କହୁଥିଲେ ହେଁ କେହି ବି ଏହାକୁ ଗ୍ରହଣ କରି ନଥିଲେ। ଜୁଲାଇ ୨୬ରେ ଏହି ଘଟଣାଟି ଘଟିଥିଲା। ପରିବାର ଲୋକ ନିଖୋଜ ମାମଲା ମଧ୍ୟ ଦାଏର କରିଥିଲେ। ଏହାପରେ କୁମ୍ଭୀରଟିକୁ ଠାବ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା ଓ ଶେଷରେ କୁମ୍ଭୀରଟିକୁ ଠାବ କରିବା ପରେ ଯାହା ଦେଖିବାକୁ ମିଳିଲା, ତାହା ଅତ୍ୟନ୍ତ ଯନ୍ତ୍ରଣା ଦାୟକ ଥିଲା। ଖବର ଅନୁଯାୟୀ, ୧୪ ବର୍ଷୀୟ ବାଳକଟିର ନାଁ ରିକି ଗାନିଆ। ସେ ନଦୀ କୂଳରୁ ଶାମୁକା ସଂଗ୍ରହ କରୁଥିବା ବେଳେ ଗୋଟିଏ ୧୪ ଫୁଟ ଲମ୍ବର କୁମ୍ଭୀର ତା’କୁ ପାଣି ଭିତରକୁ ଟାଣି ନେଇଥିଲା। ରିକିକୁ ଖୋଜି ଖୋଜି ତାଙ୍କ ମାଉସୀ ନଦୀ ପାଖରେ ପହଞ୍ଚିଥିଲେ ଓ ସେଠାରେ ଏକ କୁମ୍ଭୀରକୁ ଦେଖିବାକୁ ପାଇଲେ। ତାଙ୍କ ମନରେ କୁମ୍ଭୀରଟି ହିଁ ରିକି କୁ ଗିଳି ଦେଇଥିବା ସେ ସନ୍ଦେହ କରିଥିଲେ। ଏନେଇ ସେ ଗ୍ରାମବାସୀ ଓ ଉଦ୍ଧାରକାରୀ ଟିମ୍‌କୁ ସାହାଯ୍ୟ ପାଇଁ ଖବର ଦେଇଥିଲେ। କିନ୍ତୁ କୁମ୍ଭୀରକୁ ଧରିବା ପାଇଁ ସମସ୍ତ ଚେଷ୍ଟା ବୃଥା ଯାଇଥିଲା। କୁମ୍ଭୀରଟି ସେଠାରୁ ଖସି ପଳେଇ ଯିବାରେ ସକ୍ଷମ ହୋଇଥିଲା। ପରେ ଗ୍ରାମବାସୀ ଓ ଉଦ୍ଧାରକାରୀ ଟିମ୍ କୁମ୍ଭୀରକୁ କୁକୁଡ଼ାର ଲୋଭ ଦେଖାଇଥିଲେ ଓ ଶେଷରେ ୬ ଦିନ ପରେ କୁକୁଡ଼ା ଲୋଭରେ କୁମ୍ଭୀରଟି ଧରାପଡ଼ିଥିଲା। କୁମ୍ଭୀରଟିକୁ ଠାବ କରିବା ପରେ ତା’କୁ ସମସ୍ତେ କାଟିବାକୁ ଲାଗିଥିଲେ। ଶେଷରେ କୁମ୍ଭୀର ପେଟରୁ କିଛି ପୋଷାକ ଓ ଶରୀରର କିଛି ଅଂଶ ମିଳିଥିଲା। ଏଗୁଡ଼ିକ ରିକିର ବୋଲି ପରିବାର ଲୋକ କହିଛନ୍ତି। ଉଦ୍ଧାରକାରୀ ଟିମ୍‌ଙ୍କ କହିବା ଅନୁଯାୟୀ, ଦୁର୍ଘଟଣା ସ୍ଥଳଠାରୁ ପ୍ରାୟ ୫ କିଲୋମିଟର ଦୂରରେ କୁମ୍ଭୀରଟି ଧରାପଡ଼ିଥିଲା।

ରିପୋର୍ଟ: ଭାରତ ଭୂଷଣ

Leave a Reply

Your email address will not be published. Required fields are marked *

%d bloggers like this: