ମାନସିକ ଅସୁସ୍ଥତା ମାମଲାରେ ୨୦% ବୃଦ୍ଧି: କାରଣ ସାଜିଛି ଲକ୍‌ଡାଉନ୍

ବ୍ୟୁରୋ (YSN) ୧୨/୦୯: କଥାରେ ଅଛି “ଲୁଣ ଖାଏ ହାଣ୍ଡି,ଚିନ୍ତା ଖାଏ ଗଣ୍ଡି”। କରୋନା ମହାମାରୀ ସମଗ୍ର ମାନବ ସମାଜ ପାଇଁ ଏକ ବଡ଼ ସଂକଟ ଭାବେ ଦେଖାଦେଇଛି। ଏହି ମହାମାରୀ କେବଳ ଲୋକମାନଙ୍କୁ ସ୍ୱାସ୍ଥ୍ୟଗତ ଭାବେ ଆକ୍ରାନ୍ତ କରୁନାହିଁ, ବରଂ ମଣିଷର ମାନସିକ, ସାମାଜିକ, ଅର୍ଥନୈତିକ ସ୍ଥିତିକୁ ଏହା ଦୋହଲାଇଦେଇଛି। ଏହି ମହାମାରୀ ଓ ଲକଡାଉନ ଯୋଗୁଁ ଲୋକମାନଙ୍କ ଉପରେ ମାନସିକ ଚାପ ବଢିଯାଇଛି। ଭାରତୀୟ ମନୋଚିକିତ୍ସା ସୋସାଇଟି (ଆଇପିଏସ)ର ଏକ ସର୍ଭେ ଅନୁସାରେ ଦେଶରେ ଲକଡାଉନ ହେବା ପରଠାରୁ ମାନସିକ ଅସୁସ୍ଥତା ମାମଲାରେ ପ୍ରାୟ ୨୦ ପ୍ରତିଶତ ବୃଦ୍ଧି ପାଇଛି। ପ୍ରତି ପାଞ୍ଚଜଣ ଭାରତୀୟଙ୍କ ମଧ୍ୟରୁ ଜଣେ ମାନସିକ ଚାପର ସମ୍ମୁଖୀନ ହେଉଛନ୍ତି। କରୋନାକୁ ନେଇ ଆତଙ୍କ, ସାମାଜିକ କଟକଣା, ଛଟେଇ, ବ୍ୟବସାୟରେ କ୍ଷତି, ଭବିଷ୍ୟତକୁ ନେଇ ଅନିଶ୍ଚିତତା ଆଦି ଏହାର କାରଣ ବୋଲି ଏହି ସର୍ଭେରେ କୁହାଯାଇଛି। ଏସବୁ ମାନସିକ ଚାପ ଓ ଅସୁସ୍ଥତା କାରଣରୁ ଲକଡାଉନ ସମୟରେ ଆତ୍ମହତ୍ୟା ପ୍ରବଣତା ବଢିଚାଲିଛି। ତେବେ ଏଥିରୁ ମୁକୁଳିବାର ଉପାୟ କଣ? ଏ ସଂପର୍କରେ ଆଇପିଏସ ପକ୍ଷରୁ କୁହାଯାଇଛି ଯେ ଏହି ଆହ୍ଵାନମୂଳକ ସମୟ ମଧ୍ୟବି ଆମକୁ ଏକ ସନ୍ତୁଳିତ ଜୀବନ ଯାପନ କରିବାକୁ ହେବ। ସନ୍ତୁଳିତ ଖାଦ୍ୟ, ଘରେ ରହି ବ୍ୟାୟାମ ଓ ଯୋଗ, ଅତ୍ୟଧିକ ଟିଭି ଓ ସୋସିଆଲ ମିଡିଆ ବ୍ୟବହାର କରିବାରୁ ବିରତ ହେବା, ପରିବାର ସହ ଅଧିକ ସମୟ ବିତାଇବା ଓ ନିଜ ନିଜର ସମସ୍ୟା ସମ୍ପର୍କରେ ଆଲୋଚନା କରିବା ଦ୍ୱାରା ଏହି ବିପଦରୁ ରକ୍ଷା ମିଳିପାରିବ।

 

ରିପୋର୍ଟ: ସରସ୍ଵତୀ ସାମନ୍ତରାୟ

Leave a Reply

Your email address will not be published. Required fields are marked *

%d bloggers like this: