ଶାସ୍ତ୍ରକାର ଚକ୍ରଧର ପଣ୍ଡାଙ୍କ ବିୟୋଗରେ ଶୋକ

ଭଣ୍ଡାରିପୋଖରୀ (YSN) ୧୬/୦୯: ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଭଣ୍ଡାରିପୋଖରୀ ବ୍ଳକ ଜଳମଣ୍ଡୁଆ ପଞ୍ଚାୟତ ପଦିନାରାୟଣପୁର ଗ୍ରାମର ବିଶିଷ୍ଟ ଶାସ୍ତ୍ରକାର ଚକ୍ରଧର ପଣ୍ଡାଙ୍କ ବିୟୋଗରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ଶୋକସଭା ପାଳନ କରାଯାଇଛି। ସ୍ୱର୍ଗତ ଆଚାର୍ଯ୍ୟ ଚକ୍ରଧର ପଣ୍ଡା(୮୦) ପଦିନାରାୟଣପୁର ଗ୍ରାମ ଶାସନ ସାହି ବାସଭବନରେ ଗତ ୭ ତାରିଖ ସୋମବାର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ଦୀର୍ଘ ଦିନ ଧରି ଶଯ୍ୟାଶାୟୀ ଥିଲେ। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ପ୍ରଫୁଲ୍ଲ, ପ୍ରଦ୍ୟୁମ୍ନ, ପ୍ରତାପ, ବୋହୂ ସଂଯୁକ୍ତାଙ୍କ ସମେତ ସମ୍ପର୍କୀୟ ଦିଲ୍ଲିପ ପଣ୍ଡା, ଜଗବନ୍ଧୁ ପଣ୍ଡା, ପୀତବାସ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସ୍ୱର୍ଗତ ପଣ୍ଡା ସ୍ଥାନୀୟ ଅଞ୍ଚଳର ଜଣେ ବିଶିଷ୍ଟ ଶାସ୍ତ୍ରକାର, ଧର୍ମାଧିକାରୀ, ସାମାଜିକ କର୍ମୀ ଭାବେ ପରିଚିତ ଥିଲେ। ତାଙ୍କ ବିୟୋଗରେ ଶିକ୍ଷାବିତ୍ ମଦନ ମୋହନ ପଣ୍ଡା, ଏବିଇଓ ପୁରୁଷୋତ୍ତମ ଧଳ, ନାଟ୍ୟକାର ଅରୁଣ ବାରିକ, ସମାଜସେବୀ ରଙ୍ଗାଧର ପଣ୍ଡା, ଦୋଳଗୋବିନ୍ଦ ଖୁଣ୍ଟିଆ, ଗଣେଶ ପଣ୍ଡା, ଅଚ୍ୟୁତାନନ୍ଦ ପଣ୍ଡା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। ପ୍ରାଣକୃଷ୍ଣ ଧଳ ପାଠାଗାର ପକ୍ଷରୁ ମଧ୍ୟ ଶୋକସଭା ଅନୁଷ୍ଠିତ ହୋଇ ସ୍ୱର୍ଗତ ଆତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି।

 

 

ରିପୋର୍ଟ: ପୁନିଲ କୁମାର ସାମନ୍ତ, ଭଦ୍ରକ

Leave a Reply

Your email address will not be published. Required fields are marked *

%d bloggers like this: