ଗୁରୁତର ରୋଗୀଙ୍କୁ କଟକ, ଭୁବନେଶ୍ୱରରେ ଚିକିତ୍ସା ମନା: ଏକ ଗୁଜବ

ଭୁବନେଶ୍ୱର (YSN) ୧୬/୦୯: କୌଣସି ଗୁରୁତର ରୋଗୀଙ୍କୁ କଟକ, ଭୁବନେଶ୍ୱରରେ ଚିକିତ୍ସା ମନା ନାହିଁ। ଏଠାରେ ଚିକିତ୍ସା ହେବା ପାଇଁ ସମସ୍ତଙ୍କର ସଂପୂର୍ଣ୍ଣ ଅଧିକାର ରହିଛି। କଟକ, ଭୁବନେଶ୍ୱରକୁ ବାହାର ଜିଲ୍ଲାର ରୋଗୀଙ୍କୁ ବ୍ୟାନ୍ ଚର୍ଚ୍ଚା ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛନ୍ତି ସ୍ବାସ୍ଥ୍ୟ ବିଭାଗ ଏସିଏସ୍। ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ, କଟକ, ଭୁବନେଶ୍ୱରକୁ ବାହାର ଜିଲ୍ଲାର ରୋଗୀଙ୍କୁ ବ୍ୟାନ୍ କରାଯାଇନାହିଁ। କୌଣସି ଗୁରୁତର ରୋଗୀଙ୍କୁ କଟକ, ଭୁବନେଶ୍ୱରରେ ଚିକିତ୍ସା ପାଇଁ ମଧ୍ୟ ମନା ନାହିଁ। ରାଜ୍ୟର କଟକ, ଭୁବନେଶ୍ୱରରେ ସର୍ବୋତ୍କୃଷ୍ଟ ଚିକିତ୍ସା ସୁବିଧା ଉପଲବ୍ଧ ହୋଇଥାଏ। ଏଠାରେ ଚିକିତ୍ସା ହେବା ପାଇଁ ସମସ୍ତଙ୍କର ସଂପୂର୍ଣ୍ଣ ଅଧିକାର ରହିଛି ବୋଲି ସେ କହିଛନ୍ତି।ଏହାସହ କେବଳ ରୋଗୀଙ୍କୁ ଆଣିବା ବେଳେ ଆବଶ୍ୟକ ଯତ୍ନ ପାଇଁ କୁହାଯାଇଛି। ସମସ୍ତ ଆନୁଷଙ୍ଗିକ ସୁବିଧା, ଅକ୍ସିଜେନ ବ୍ୟବସ୍ଥା ଥାଇ ପଠାଇବାକୁ କୁହାଯାଇଛି। ଅନେକ କ୍ଷେତ୍ରରେ ଆବଶ୍ୟକ ସୁବିଧା ନଥାଇ ଆସୁଥିବା ରୋଗୀଙ୍କ ମୃତ୍ୟୁ ଘଟୁଛି। ଏସବୁକୁ ଦୂରେଇବା ପାଇଁ ଏପରି ନିର୍ଦ୍ଦେଶନାମା ଜାରି ହୋଇଛି ବୋଲି ସେ କହିଛନ୍ତି। ଏଣେ କୋଭିଡ କେୟାର ସେଣ୍ଟର ଓ ଟିଏମସି ବନ୍ଦ ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ।ଏପରିକି କଟକ ଭୁବନେଶ୍ୱରକୁ କରୋନା ରୋଗୀଙ୍କୁ ନ ଆଣିବା ପ୍ରସଙ୍ଗରେ ବି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହୀନପତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବି ସରକାର ବନ୍ଦ କରିଦିଅନ୍ତୁ ବୋଲି ସେ କହିଥିଲେ। ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ସରକାର ଯେଉଁ ଭଳି ନିଷ୍ପତ୍ତି ନେଉଛନ୍ତି ତାହା ଅନୁଚିତ ଓ ଏହା ମଧ୍ୟ କହିଥିଲେ ଯେ କୋଭିଡ ପରିଚାଳନାରେ ସରକାର ସମ୍ପୂର୍ଣ୍ଣ ଫେଲ ମାରିଛନ୍ତି। ଡାକ୍ତରଙ୍କ ପରାମର୍ଶ କ୍ରମେ ଗୁରୁତର ରୋଗୀ କଟକ ଭୁବନେଶ୍ୱର ଆସୁଛନ୍ତି। ଯଦି ନ ଆସିବେ ତେବେ କଣ ମରିବେ କି ବୋଲି ସେ ପ୍ରଶ୍ନ କରିଥିଲେ।ସେପଟେ ଏ ନେଇ ସରକାରଙ୍କ ତୀବ୍ର ନିନ୍ଦା କରିଥିଲେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ। କଟକ ଓ ଭୁବନେଶ୍ୱରକୁ ସବୁ ରୋଗୀଙ୍କୁ ଆସିବାର ଅଧିକାର ରହିଛି। ତାକୁ କେହି ବନ୍ଦ କରିପାରିବେ ନାହିଁ ବୋଲି ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ କହିଥିଲେ। ତେବେ ଏସବୁ ଉପରୁ ପରଦା ଉଠାଇ ମୁଖ୍ୟ ସଚିବ କହିଛନ୍ତି ଯେ ଏହା କେବଳ ଗୁଜବ ମାତ୍ର। ସବୁ ରୋଗୀଙ୍କୁ ସବୁ ସ୍ଥାନ ସହ ସର୍ବୋକୃଷ୍ଟ ଚିକିତ୍ସା ପାଇବାର ଅଧିକାର ଅଛି ଓ ଏହାକୁ କେହି ଛଡାଇ ପାରିବେ ନାହିଁ।

 

ରିପୋର୍ଟ: ଭାରତ ଭୂଷଣ, କଟକ ସିଟି

Leave a Reply

Your email address will not be published. Required fields are marked *

%d bloggers like this: