ମହାମାରୀ ସମୟରେ ମହଙ୍ଗା ମାଡ଼: ଭାଙ୍ଗିଗଲାଣି ମଧ୍ୟବିତ୍ତଙ୍କ ମେରୁଦଣ୍ଡ ହାଡ

କଟକ(YSN)୧୬/୦୯: ମହାମାରୀ କରୋନା ଜନସାଧାରଣଙ୍କ ଜୀବନକୁ ଦୁର୍ବିସହ କରିଥିବା ବେଳେ ଚାରିଆଡ଼େ ଭୟ ଓ ଆତଙ୍କର ବାତାବରଣ ଖେଳାଇ ଦେଇଛି। ଅନେକ ଲୋକ କାମଧନ୍ଦା ହରାଇ ଦାରିଦ୍ର୍ୟ ଭିତରକୁ ଠେଲି ହୋଇଯାଇଛନ୍ତି। ଜନସାଧାରଣଙ୍କ ଆୟର ପନ୍ଥା ସଙ୍କୁଚିତ ହୋଇଛି। ଏହା ଭିତରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ସାଧାରଣ ଜନତାଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ବେଡି ଉପରେ କୋରଡ଼ା ମାଡ଼ ଭଳି ଗତ କିଛିଦିନ ଭିତରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ଲୋକଙ୍କ ଚିନ୍ତାକୁ ଦ୍ବିଗୁଣିତ କରିଛି। ଦୁଇଦିନ ପୂର୍ବେ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ, ଭାରତର ପ୍ରାୟ ସମସ୍ତ ସ୍ଥାନରେ ଗତ କିଛିଦିନ ହେଲା ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ମହଙ୍ଗା ହୋଇଛି। ଅର୍ଥାତ୍ ଲୋକେ ଯେଉଁ ଦରରେ ବିଭିନ୍ନ ସାମଗ୍ରୀ କ୍ରୟ କରୁଥିଲେ, ତାହା ପୂର୍ବାପେକ୍ଷା ଯଥେଷ୍ଟ ବୃଦ୍ଧି ପାଇଛି। ସର୍ଭେରେ ଅଂଶଗ୍ରହଣ କରିଥିବା ପରିବାରଗୁଡ଼ିକ ମଧ୍ୟରୁ ପାଖାପାଖି ୭୩ ପ୍ରତିଶତ ପରିବାରଙ୍କ ମତରେ ସେମାନେ ପୂର୍ବରୁ ବଜାରରୁ ଯେତିକି ଟଙ୍କା ଖର୍ଚ୍ଚ କରି ଜିନିଷ କିଣୁଥଲେ, ବର୍ତ୍ତମାନ ସେତିକି ଟଙ୍କା ଖର୍ଚ୍ଚ କଲେ ସୁଦ୍ଧା କମ୍ ଜିନିଷ ଧରି ଫେରୁଛନ୍ତି। ଅନେକ ରାଜ୍ୟରେ ପନିପରିବା ଦର ହୁ ହୁ ହୋଇ ବଢ଼ିଚାଲିବାର ଲକ୍ଷ୍ୟ କରାଯାଇଛି। ବିଶେଷକରି ଆଳୁ, ପିଆଜ ଓ ଟମାଟୋ ଦର ପୂର୍ବାପେକ୍ଷା ବୃଦ୍ଧି ପାଇଛି। ସର୍ଭେ ସମୟରେ ୪୦ ପ୍ରତିଶତ ଲୋକ ମତ ଦେଇଥିଲେ ଯେ, ଗୋଟିଏ କିଲୋ ଟମାଟୋ କିଣିବା ପାଇଁ ସେମାନଙ୍କୁ ୧୦୦ ଟଙ୍କା, ଆଳୁ କିଲେ ୩୫ ଟଙ୍କା ଓ ପିଆଜ କିଲୋ ୩୦ ଟଙ୍କା ଦେବାକୁ ପଡୁଛି। ସେହିପରି ୧୯ ପ୍ରତିଶତ ଲୋକ କହିଲେ ଯେ, ସେମାନେ ଟମାଟୋ କିଲୋଗ୍ରାମ୍ ପିଛା ୪ ରୁ ୬୦ ଟଙ୍କା ମୂଲ୍ୟରେ କିଣୁଥିବା ବେଳେ ଆଳୁ ୨୦ ରୁ ୨୯ ଟଙ୍କା ଏବଂ ପିଆଜ କିଲୋ ପିଛା ୧୫ରୁ ୨୪ ଟଙ୍କା ଦରରେ କିଣୁଛନ୍ତି। ସମଗ୍ର ଦେଶର ୨୧୬ଟି ଜିଲ୍ଲାର ୧୫ ହଜାରରୁ ଅଧିକ ଲୋକଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ଅବଶ୍ୟ ଏହି ସମୟରେ ସାଧାରଣତଃ ପନିପରିବାର ମୂଲ୍ୟବୃଦ୍ଧି ଘଟିଥାଏ ଏବଂ ଶୀତ ଋତୁର ଆଗମନ ପରେ ଦର କମିବାର ପ୍ରକ୍ରିୟା ଆରମ୍ଭ ହୁଏ। ମାତ୍ର ଏ ବର୍ଷ ମହାମାରୀ କରୋନା ଜନସାଧାରଣଙ୍କ ଆର୍ଥିକ ମେରୁଦଣ୍ଡକୁ ଏଭଳି ଦୋହଲାଇ ଦେଇଛି ଯେ, ପକେଟ୍‌ରୁ ଅଧିକ ଟଙ୍କା ଖର୍ଚ୍ଚ କରି ଯେ କୌଣସି ଜନିଷପତ୍ର କିଣିବା ସେମାନଙ୍କ ପକ୍ଷରେ କଷ୍ଟକର ହେଉଛି। ଗତ ଛ’ମାସ ମଧ୍ୟରେ ପରିବାର ଖର୍ଚ୍ଚରେ ହୋଇଥିବା ବଡ଼ ଧରଣର ପରିବର୍ତ୍ତନ ସମ୍ପର୍କରେ ପ୍ରଶ୍ନ କରାଯିବାରେ ୪୪ ପ୍ରତିଶତ ଲୋକ ମତ ଦେଇଥିଲେ ଯେ, ସେମାନେ ଅଧିକ ଟଙ୍କା ଖର୍ଚ୍ଚ କରୁଥିବ ବେଳେ କମ୍ ଜିନିଷପତ୍ର ପାଉଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିର ପ୍ରମୁଖ କାରଣଗୁଡ଼ିକ ମଧ୍ୟରେ ଦେଶର କେତେକ ଅଞ୍ଚଳରେ ଅତ୍ୟଧିକ ବର୍ଷା, ଶ୍ରମିକ ଅଭାବ, ଡିଜେଲ୍ ଦରବୃଦ୍ଧି ଯୋଗୁଁ ପରିବହନ ଖର୍ଚ୍ଚ ବଢ଼ିବା ଅନ୍ତର୍ଭୁକ୍ତ। ସେଥିମଧ୍ୟରୁ ବହୁ ଲୋକ ଜୀବିକା ହରାଇଥିବାରୁ ସେମାନଙ୍କ ଆୟ କମିଯାଇଛି କିମ୍ବା ସମ୍ପୂର୍ଣ ବନ୍ଦ ହୋଇଯାଇଛି।

ରିପୋର୍ଟ: ଇତିଶ୍ରୀ ସାହୁ, କଟକ ସିଟି

Leave a Reply

Your email address will not be published. Required fields are marked *

%d bloggers like this: